Monday 18 March 2019

ମହିଳା ସୁରକ୍ଷା...... ଅନେକ ପ୍ରଶ୍ନବାଚୀ.......


ସମାନ ଚିନ୍ତାଧାରା, ସ୍ମାର୍ଟ ବନାଅ, କିଛି ନୂଆ ପାଇଁ ପରିବର୍ତ୍ତନ ଆଣ ଆମ ସମ୍ବିଧାନରେ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଦିଆଯାଇଛି ସମାନତା ଏବଂ ସେମାନଙ୍କ ବିରୁଦ୍ଧ ରେ ହେଉଥିବା ହିଂସା କୁ ରୋକିବା ପାଇଁ ମଧ୍ୟ ଦିଆଯାଇଛି ସୁତନ୍ତ୍ର ଅଧିକାର।  ମାତ୍ର ବାସ୍ତବ ଚିତ୍ର ଏହାଠାରୁ ବହୁତ ଦୂରରେ। ଭାରତରେ ୬୫.୫% ମହିଳା ସ୍ଵାକ୍ଷର ଥିଲାବେଳେ, ଓଡିଶାରେ ୬୪.୦୧% ମହିଳା ସ୍ଵାକ୍ଷର । ଲିଙ୍ଗ ଅନୁପାତ ଭାରତରେ ୯୪୩ (୧୦୦୦ ପୁରୁଷ ପାଇଁ) ଥିଲାବେଳେ ଓଡିଶାରେ ୯୭୯। ଶିଶୁ ମାନଙ୍କ ଲିଙ୍ଗ ଅନୁପାତ ଭାରତରେ ୯୧୯ ଥିଲାବେଳେ, ଓଡିଶାରେ ୯୪୧। ଏବେବି ମହିଳା ମାନେ ସମାଜରେ ପୁରୁଷ ମାନଙ୍କ ତୁଳନାରେ ବହୁ ପଛରେ ଅଛନ୍ତି। ମା ପେଟରୁ ହିଁ ଆରମ୍ଭ ହେଇଯାଉଛି ସେମାନଙ୍କର ଯନ୍ତ୍ରଣା । ଭାରତୀୟ ଜନସଂଖ୍ୟା ରୁ ଳିଙ୍ଗ ନିରୂପଣ ଜନିତ ଭୃଣହତ୍ୟା ଏବଂ ଝିଅମାନଙ୍କର ଅବହେଳା ଜନିତ ଅପମୃତ୍ୟୁ ଯୋଗୁଁ ୬୩ ମିଲିୟନ ମହିଳା କମ୍ ଅଛନ୍ତି । 
ସମୟ ବଦଳିଯାଇଛି ଏହା ସହିତ ସମାଜରେ ଆସିଛି ଅନେକ ପରିବର୍ତ୍ତନ ମାତ୍ର ମହିଳା ମାନଙ୍କର ସ୍ଥିତିରେ ପରିବର୍ତ୍ତନ ବିଶେଷ ଦେଖାଯାଇ ନାହିଁ    ଓଡିଶାରେ ୫୧.୦% ଓ ଭାରତରେ ୫୪.୩% ମହିଳା ରକ୍ତହୀନତା ଜନିତ ଅପପୃଷ୍ଟିର ଶିକାର।  ଭାରତରେ ୨୬.୮% ଓ ଓଡିଶାରେ ୨୧.୩% ଝିଅମାନଙ୍କର ବିବାହ ୧୮ ବର୍ଷ ପୂର୍ବରୁ ହିଁ କରିଦିଆଯାଉଛି (ଏନଏଚଏଫଏସ-୪) ମହିଳା ହିଂସା କ୍ଷେତ୍ରରେ ୮୨୫୨ କେସ ଓଡିଶାରେ ଓ ୩୩୮,୯୪୫ କେସ ଭାରତରେ ରିପୋର୍ଟ କରାଯାଇଅଛି (ଏନସିଆରବି-୨୦୧୬) । ୨୪.୮% ମହିଳା ଓଡିଶାରେ ତାଙ୍କ ସ୍ଵାମୀ ମାନଙ୍କଦ୍ଵାରା ହିଂସା ର ଶିକାର ହେଉଛନ୍ତି (ଏନଏଚଏଫଏସ-୪). ୨୦୧୮ ରେ ଓଡିଶାରେ ୯୯ ଟି ମହିଳାଙ୍କୁ ଡାହାଣୀ ସନ୍ଦେହକରି ସେମାନଙ୍କ ବିରୁଦ୍ଧରେ କରାଯାଇଥିବା ହିଂସା ଓଡିଶା କ୍ରାଇମ ବ୍ରାଞ୍ଚ ରେ ଲିପିବଦ୍ଧ ହୋଇଛି।  ଏଠି ସହିତ ଲିଙ୍ଗଗତ ଭେଦଭାବ, କର୍ମକ୍ଷେତ୍ରରେ ନିର୍ଯାତନା, ରାସ୍ତା ଘାଟରେ ଅଶଳୀନ ମନ୍ତବ୍ୟ, ଘରୋଇହିଂସା, ଯୌତୁକ ପ୍ରଥା, ଡାହାଣୀ ପ୍ରଥା, ଯୌନହିଂସା, ବାଲ୍ୟ ବିବାହ, ବେତନରେ ଅସମାନତା, ଅସୁରକ୍ଷିତ ବାର୍ଦ୍ଧକ୍ୟ, ବୈଧବ୍ୟ ରେ ସାମାଜିକ ବାସନ୍ଦ ଇତ୍ୟାଦି ମହିଳା ମାନଙ୍କର ଜୀବନକୁ ଆଜିବି ପ୍ରଭାବିତ କରୁଛି।      
ମହିଳା ମାନଙ୍କ ବିରୁଦ୍ଧରେ ହେଉଥିବା ହିଂସା କୁ ରୋକିବା ପାଇଁ ଏବଂ ସେମାନଙ୍କ ଅଧିକାରର  ସୁରକ୍ଷା ନିମନ୍ତେ ଅନେକ ଆଇନ୍ ପ୍ରଣୟନ କରାଯାଇଅଛି ଯଥା ବାଲ୍ୟ ବିବାହ ନିରୋଧି ଆଇନ ୨୦୦୬ (The Prohibition of Child Marriage Act, 2006), ସ୍ଵତନ୍ତ୍ର ବିବାହ ଆଇନ ୧୯୫୪ (Special Marriage Act 1954), ଯୌତୁକ ନିରୋଧି ଆଇନ ୧୯୬୧ (Dowry Prohibition Act 1961), ଭାରତୀୟ ବିବାହ ବିଚ୍ଛେଦ ଆଇନ ୧୯୬୯ (Indian Divorce Act 1969), ପ୍ରସୂତୀ ସୁବିଧା ଆଇନ ୧୯୬୧ (Maternity Benefit Act 1961), ଚିକିତ୍ସା ଦ୍ଵାରା ଗର୍ଭପାତ ଆଇନ  ୧୯୭୧ (Medical Termination of Pregnancy Act 1971), ମହିଳା ମାନଙ୍କୁ କର୍ମସ୍ଥଳୀରେ ଯୌନ ଉତ୍ପୀଡନ (ରୋକିବା, ନିଷେଧ, ନିବାରଣ) ଆଇନ ୨୦୧୩ (Sexual Harassment of Women at Workplace (Prevention, Prohibition and Redressal) Act, 2013), ମହିଳା ମାନଙ୍କୁ ଖରାପ ଭାବରେ ଚିତ୍ରଣ କରିବା (ନିବାରଣ ) ଆଇନ ୧୯୮୬ (Indecent Representation of Women(Prevention) Act,1986,  ମହିଳା କମିଶନ ଆଇନ ୧୯୯୦ (National Commission for Women Act, 1990), ସମାନ ପାରିଶ୍ରମିକ ଆଇନ ୧୯୭୬ (Equal Remuneration Act, 1976), ଘରୋଇ ହିଂସା ନିରୋଧ ଆଇନ ୨୦୦୫ (Protection of Women from Domestic Violence  ଇତ୍ୟାଦି  ପ୍ରମୁଖ
ମହିଳା ମାନଙ୍କ ପାଇଁ ଅନେକ ସରକାରୀ ଯୋଜନା, ନିୟମ ଓ କାନୁନ ଥିବା ସତ୍ଵେ ଏହା ସେମାନଙ୍କର ପାଖରେ ପହଞ୍ଚି ପାରୁନାହିଁ । କୋଉଠି ନା କୋଉଠି ଏଥିରେ କମି ରହିଯାଉଛି । ସେଥିପାଇଁ ଆଜିର ସମାଜରେ ମହିଳା ମାନଙ୍କର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ପ୍ରତିଦିନ ଖବର କାଗଜର ପୃଷ୍ଠା ଲେଉଟାଇଲେ ଏହାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳେ। ମହିଳା ମାନେ ଘରେ ବାହାରେ ସବୁଠାରେ ଅବହେଳିତ, ଅସୁରକ୍ଷିତ ଓ ନିର୍ଯାତିତ ଓ ସମାଜରେ ମହିଳା ମାନଙ୍କ ବିରୁଦ୍ଧରେ ହିଂସା ବଢି ବଢି ଚାଲିଛି। ମହିଳା ମାନଙ୍କ ପାଇଁ ଏତେ ସବୁ ସୁବିଧା ଥାଇଁ ଆଜିବି ସ୍ଥିତି ଏତେ ଗମ୍ଭୀର କାହିଁକି ? କାହିଁକି ମହିଳାଟିଏ ଦିନରେ ବି ଏକୁଟିଆ ଚାଲିବାକୁ ଭୟ କରୁଛି ? କାହିଁ ତାର ସେ ସ୍ଵାଧିନତା ? କେଉଁଠି କେଉଁଠି ଲାଗେ ଏ ଆଇନ ର ଫାଙ୍କରେ ସମସ୍ତେ ଖସି ଯାଉନାହାନ୍ତିତ ? ହୁଏତ ଆନ୍ତରିକତାର ଅଭାବ ଓ ଚିରାଚରିତ ପୁରୁଣା ଭାବନାର ପରିବର୍ତ୍ତନ ହେବାରେ ବାଧା ରହିଛି । ଏହିସବୁକୁ ଦେଖିଲେ ଓ ସ୍ଥିତି କୁ ଅନୁଧ୍ୟାନ କଲେ ମନରେ ସ୍ଵତଃ ପ୍ରଶ୍ନ ଉଠେ ଆମ ସମାଜରେ ରେ ମହିଳା ମାନେ କଣ ସତରେ ସୁରକ୍ଷିତ ?    
ଅନୁରାଧା ମହାନ୍ତି
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା, ପିକକ୍ 

No comments:

Post a Comment